Deuteronomy 1

ହୋରେବ ତ୍ୟାଗ କରିବାକୁ ଆଦେଶ

1ପାରଣ ଓ ତୋଫଲ ଓ ଲାବନ ଓ ହତ୍‍ସେରୋତ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍‍, ଯର୍ଦ୍ଦନର ପୂର୍ବପାରିସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ, 2“ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ।”

3ସଦାପ୍ରଭୁ ଯେଉଁ ଯେଉଁ କଥା ଇସ୍ରାଏଲ ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ, 4“ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍‍ ନିବାସୀ ବାଶନର ରାଜା ଓଗ୍‍କୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ

5ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ। 6ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;

7ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍‍ ପର୍ଯ୍ୟନ୍ତ ଯାତ୍ରା କର। 8ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମକୁ ଓ ଇସ୍‍ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।”

ବିଚାରକର୍ତ୍ତାଙ୍କ ନିଯୁକ୍ତି

9ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ; 10ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ। 11ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।

12ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି ? 13ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି। 14ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, “ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ।”

15ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶତପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି। 16ପୁଣି ମୁଁ ସେ ସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର।

17ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋ’ ନିକଟକୁ ଆଣିବ, ମୁଁ ତାହା ଶୁଣିବି।” 18ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟ କର୍ମ ବିଷୟ ଆଜ୍ଞା ଦେଇଥିଲି।

କିଣାନରେ ପ୍ରବେଶ କରିବାକୁ ଅସମ୍ମତ

19ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟ ଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ।

20ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ। 21ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ।”

22ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, “ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ବାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ। 23ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ, ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣଙ୍କୁ ନେଲୁ। 24ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ ଉପତ୍ୟକାରେ ପହଞ୍ଚି ଦେଶର ଅନୁସନ୍ଧାନ କଲେ।

25ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”

26ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ। 27ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, “ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ସକାଶୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣି ଅଛନ୍ତି। 28ଆମ୍ଭେମାନେ କେଉଁଠାକୁ ଯିବା ? ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଉଚ୍ଚ; ନଗରମାନ ବୃହତ୍‍ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ ଆହୁରି ସେହି ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।

29ତେବେ ମୁଁ ତୁମ୍ଭମାନଙ୍କୁ କହିଲି, “ଭୟଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ।” 30ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ। 31ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି।”

32ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ ! 33ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ।

ଇସ୍ରାଏଲର ବିଦ୍ରୋହର ଦଣ୍ଡ

34ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି ରାଗିଲେ ଓ ଶପଥ କରି କହିଲେ, 35“ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ, 36କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ।”

37ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋ’ ପ୍ରତି କ୍ରୋଧ କରି କହିଲେ, “ତୁମ୍ଭେ ମଧ୍ୟ ସେହି ସ୍ଥାନରେ ପ୍ରବେଶ କରିବ ନାହିଁ, 38ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।

39ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ। 40ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସାଗର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର।”

41ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ। 42ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ; କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।”

43ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଦେଶକୁ ଆକ୍ରମଣ କଲ। 44କିନ୍ତୁ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।

45ତେବେ ତୁମ୍ଭେମାନେ ଫେରି ଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ ବର୍ଷ ରହିଲ।

46

Copyright information for OriULB